ଓଡ଼ିଶାର ୧୨ ଲକ୍ଷ ଲୋକ ବାହାରେ ଅଛନ୍ତି, ବାହାର ରାଜ୍ୟରୁ ୮ ଲକ୍ଷ ୬୦ ହଜାର ପ୍ରବାସୀ ଆମ ରାଜ୍ୟକୁ ଆସିଛନ୍ତି: ବାଗ୍ଚୀ
ଭୁବନେଶ୍ୱର: ଗୋଟିଏ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ଯାଇ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ବର୍ତ୍ତମାନ ଭାରତରେ ପ୍ରବାସୀଙ୍କ ସଂଖ୍ୟା ୨୦ କୋଟି। ୨୦୧୧ ମସିହାରେ ଏହା ୧୪ କୋଟି ଥିଲା। କିନ୍ତୁ ବିଗତ ୯ ବର୍ଷ ମଧ୍ୟରେ ଲୋକେ ବାହାର ରାଜ୍ୟକୁ ଯିବା ସଂଖ୍ୟା ବଢ଼ିଛି। ଓଡ଼ିଶାର ୧୨ ଲକ୍ଷ ଲୋକ ବାହାର ରାଜ୍ୟରେ ଅଛନ୍ତି। ସେମାନେ ସେଠାରେ ବିଭିନ୍ନ ପ୍ରକାରର କାମ କରୁଛନ୍ତି। ଅପରପକ୍ଷେ ଆମ ରାଜ୍ୟକୁ ବାହାର ରାଜ୍ୟରୁ ଆସି କାମ କରୁଥିବା ଲୋକଙ୍କ ସଂଖ୍ୟା ୮ ଲକ୍ଷ ୬୦ ହଜାର। ଏଭଳି ସ୍ଥଳରେ କାହାକୁ ନିଜ ରାଜ୍ୟକୁ ଫେରିବାକୁ ଆଇନଗତ ଭାବେ ନିଷେଧ କରାଯାଇପାରିବ ନାହିଁ। ସମସ୍ତଙ୍କର ନିଜ ରାଜ୍ୟକୁ ଫେରିବାର ଅଧିକାର ରହିଛି। ଆଜି ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହା କହିଛନ୍ତି। ଏଥିସହ ଆଗକୁ ମହାସଂକ୍ରମଣ ଆସିବା ପୂର୍ବରୁ ଶ୍ରମିକ ଫେରିଆସିବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଛନ୍ତି, ଭାରତର ୧୦୦ଟି ପରିବାର ମଧ୍ୟରୁ ୧୬ଟି ପରିବାର ବାହାରକୁ ଯାଆନ୍ତି। ପ୍ରାୟ ୯୨ ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରିଥାନ୍ତି। ତେବେ କିଛି ଲୋକ ଅଭିଯୋଗ ଆଣୁଛନ୍ତି ଯେ, ବାହାର ରାଜ୍ୟରୁ ପ୍ରବାସୀଙ୍କୁ ଆଣିବାର ନ ଥିଲା। କିନ୍ତୁ ମାନବିକତା, ଆଇନଗତ ଓ ବାସ୍ତବତା ଦୃଷ୍ଟିକୋଣରୁ ପ୍ରବାସୀମାନଙ୍କୁ ଆଣିବାର ଯଥାର୍ଥତା ରହିଛି। ଆଇଟି କିମ୍ବା ବ୍ୟାଙ୍କ ସେକ୍ଟରରେ କାମ କରୁଥିବା ଲୋକଙ୍କୁ ଯଦି ଘରେ କାମ କରିବାକୁ କୁହାଯିବ ତାହା ଚଳିବ। କିନ୍ତୁ ୯୨ ପ୍ରତିଶତ ଯେଉଁମାନେ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି, ତାହା ସମ୍ଭବ ନୁହେଁ। ଭାରତ ସରକାର ମାର୍ଚ୍ଚ ୨୫ରୁ ଲକଡାଉନ ଘୋଷଣା କରିଥିଲେ। ଏହି ସମୟ ମଧ୍ୟରେ ଲକଡାଉନରେ ଥିବା ଲୋକେ ଘରକୁ ଆସିପାରିଲେ ନାହିଁ। ଏଥିରେ କେବଳ ଶ୍ରମିକ ନୁହେଁ, ବରଂ ତୀର୍ଥଯାତ୍ରୀ ଓ ଛାତ୍ରମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଛନ୍ତି। କେନ୍ଦ୍ର ସରକାର ଏବେ ବିଦେଶରୁ ଭାରତୀୟଙ୍କୁ ଆଣିବା ପାଇଁ ‘ବନ୍ଦେ ଭାରତ ମିଶନ’ ଆରମ୍ଭ କରିଛନ୍ତି। ସେହିଭଳି ‘ସମୁଦ୍ର ସେତୁ ଅଭିଯାନ’ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଅନୁସାରେ ରାଜ୍ୟ ସରକାର ପ୍ରବାସୀମାନଙ୍କୁ ବାହାର ରାଜ୍ୟରୁ ଆଣିବା ଯୁକ୍ତିଯୁକ୍ତ ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି।